ଦୀର୍ଘ ଦିନର ବ୍ୟବଧାନ ପରେ ବୈପାରିଗୁଡା ବ୍ଲକରେ ଲାଗିଲା ମାଓ ପୋଷ୍ଟର୍
1 min read
ବୈପାରିଗୁଡା: ଦୀର୍ଘ ଦିନର ନିରବତା ପରେ ବୈପାରିଗୁଡା ବ୍ଲକରେ ମାଓ ପୋଷ୍ଟର ଲାଗିଥିବା ଜଣାପଡିଛି। କକ୍ରାଗୁଡାର ଖେମାବେଡାରେ ପଥର କୁଆରି (ଖଣି) ନିକଟରେ ପୋଷ୍ଟର ଲଗାଇଥିବା ସହ ୧୫ ଦିନ ମଧ୍ୟରେ ୧୨ ଲକ୍ଷ ଟଙ୍କା ଦେବା ପାଇଁ ଲେଖା ଯାଇଥିବା ବେଳେ ଟଙ୍କା ନଦେଲେ ମେସିନ ଏବଂ ଗାଡ଼ିଗୁଡ଼ିକ ପୋଡ଼ି ଦିଆଯିବ ବୋଲି ଚେତାବନୀ ଦିଆଯାଇଛି।
ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଜି. ମାଝିଗୁଡା ପଞ୍ଚାୟତର କଟ୍ରାଗୁଡାର ଖେମାବେଡାଠାରେ ମାର୍ବଲ ପଥରର କୁଆରି (ଖଣି) ରହିଛି। ସେହି ପଥର କୁଆରି (ଖଣି) ନିକଟରେ ରହିଥିବା ଗଛ ଏବଂ କୁଆରି ଅଫିସ କାନ୍ଥରେ ପୋଷ୍ଟର ଲାଗିଥିବା ସକାଳୁ ଲୋକେ ଦେଖିବାକୁ ପାଇଥିଲେ। ପୋଷ୍ଟ୍ରରେ ୧୫ ଦିନ ମଧ୍ୟରେ ଖଣିରେ କାମ କରୁଥିବା ରୋଷେୟା ହାତରେ ରାତି ୧୨ଟା ବେଳେ ୧୨ ଲକ୍ଷ ଟଙ୍କା ପଠାଇବା ପାଇଁ ଉଲ୍ଲେଖ ଥିବା ସହ ଟଙ୍କା ନଦେଲେ ଖଣି କାମରେ ଲାଗିଥିବା ସମସ୍ତ ଗାଡ଼ି ଏବଂ ମେସିନ ପୋଡ଼ି ଦିଆଯିବ ବୋଲି ଧମକ ଦିଆଯାଇଛି। ଏଥିସହ ଆସନ୍ତାକାଲିଠାରୁ କାମ ବନ୍ଦ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି। ପୋଷ୍ଟର ଦେଖିବା ପରେ କୁଆରି (ଖଣି) ରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରେ ଭୟର ଆତଙ୍କ ଖେଳିଯାଇଛି।