ବିବାହ ନ କରି ମଧ୍ୟ ଅନେକ ପିଲାଙ୍କ ମା ସାଜିଛନ୍ତି ଶୁଶ୍ରୀ “ପ୍ରଭାସିନୀ ନନ୍ଦ”
1 min read

ନୟାଗଡ଼,୧୮/୦୮/୨୦୨୩, (ଦୀପ୍ତି ରଞ୍ଜନ ମହାନ୍ତି) ବିବାହ କରି ଘରସଂସାର କରିବା ପ୍ରତ୍ୟେକ ଝିଅର ସ୍ବପ୍ନ ଥାଏ । ହେଲେ ସେ କିନ୍ତୁ ଥିଲେ ବ୍ୟତିକ୍ରମ । ଯୁବାବସ୍ଥାରେ ଚାକିରି ଛାଡ଼ିଲେ ଆଉ ସମାଜ କିଛି କରିବାର ନିଶା ନେଇ ଆଗକୁ ବଢି ଚାଲିଲେ । ପରିବାରର ପ୍ରତିବନ୍ଧକର ଏରୁଣ୍ଡି ଡେଇଁ ଅନାଥ ଗରିବଙ୍କର ମାଆ ସାଜିଲେ । ବିବାହ କରିନାହାନ୍ତି ସତ ହେଲେ ୨୦୦ରୁ ଅଧିକ ପିଲାଙ୍କର ଯୋଶୋଦା ମାଆ ସାଜିଛନ୍ତି ନୟାଗଡ଼ର ନାରୀ ପ୍ରତିଭା ପ୍ରଭାସିନୀ ନନ୍ଦ । ଖାଲି ସମାଜସେବା ନୁହେଁ ରାଜନୀତିରେ ନୟାଗଡ଼ର ଘରେଘରେ ପରିଚିତ ନାଁ ହେଉଛନ୍ତି ପ୍ରଭାସିନୀ । ମହିଳା ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ଭାବେ ସେ ଦାୟିତ୍ବ ତୁଲାଉଛନ୍ତି । ଆଗକୁ କଣ ରହିଛି ତାଙ୍କର ରାଜନୀତିକ ଓ ବ୍ୟକ୍ତିଗତ ଜୀବନର ଲକ୍ଷ୍ୟ ଏନେଇ ତାଙ୍କ ସହିତ ଆଲୋଚନା କରିବା……!

ପ୍ରଶ୍ନ: ନିଜ ପାଇଁ କେବେ ସ୍ବପ୍ନ ଦେଖିବାକୁ ଇଚ୍ଛା ହୁଏନି ?
ଉତ୍ତର: ଗରିବ ପିଲାଙ୍କ ଭବିଷ୍ୟତ ଗଢିବା ହିଁ ମୋର ସ୍ବପ୍ନ । ଲୋକଙ୍କ ସେବା ଓ ଆଶା ପୂରଣ କରିବାକୁ ପିଲାବେଳଠୁ ମୁଁ ସ୍ବପ୍ନ ଦେଖିଛି । ତାକୁ ସାକାର କରିବାକୁ ସବୁବେଳେ ପ୍ରୟାସ କରିଛି ଆଉ ଆଗକୁ ବି କରୁଥିବି । ଲୋକଙ୍କ ସେବା ଛଡ଼ା ମୋର ବ୍ୟକ୍ତିଗତ ସ୍ବପ୍ନ କିଛି ନାହିଁ ।
ପ୍ରଶ୍ନ: ମଦର ଆବାସିକ ବିଦ୍ୟାଳୟ ସ୍ଥାପନର ଚିନ୍ତାଧାରା ମନକୁ କାହିଁକି ଆସିଲା ?
ଉତ୍ତର: ସ୍କୁଲରେ ପାଠ ପଢିବାବେଳେ ମୋ ସହିତ ଅନେକ ଅନାଥ ପିଲା ପାଠ ପଢୁଥିଲେ । ସେବେଠୁ ସେବା କରିବା ଆରମ୍ଭ କରିଥିଲି । ଇଚ୍ଛାଥିଲା ଅବିବାହିତ ରହି ଅନାଥାଶ୍ରମ କରିବି । ସେଥିପାଇଁ ଚାକିରି ଛାଡ଼ି ୨୦୦୬ରେ ଏ ଅନୁଷ୍ଠାନ ଆରମ୍ଭ କରିଥିଲି । ପିଲାଙ୍କୁ ମଣିଷ କରିବାକୁ ସ୍କୁଲ କରିଛି । ଏଠାରେ ଏବେ ଆଦିବାସୀ, ହରିଜନ, ଗରିବ ଓ ଅନାଥ ପିଲାଙ୍କୁ ରଖି ପାଠ ପଢାଉଛି ।

ପ୍ରଶ୍ନ- ଆପଣ ବିବାହ କରିନାହାନ୍ତି ହେଲେ ୨୦୦ରୁ ଅଧିକ ପିଲାଙ୍କର ମାଆ ବନିଛନ୍ତି…କେତେ ଖୁସି ଲାଗେ ?
ଉତ୍ତର: ବିବାହ କରିଥିଲେ ଗୋଟିଏ କି ଦୁଇଟି ପିଲା ମୋତେ ମାଆ ଡାକିଥାନ୍ତେ । ହେଲେ ଏବେ ଶହଶହ ପିଲା ମାଆ ଡାକୁଛନ୍ତି । ସକାଳ ସଞ୍ଜରେ ଅଳି ଅଝଟ କରୁଛନ୍ତି । ତାହା ମୋତେ ବହୁତ ଖୁସି ଦେଉଛି । ଜନ୍ମ ନକରି ବି ଶହଶହ ପିଲାଙ୍କର ମାଆ ବନିବା ଆନନ୍ଦିତ କରୁଛି ।

ପ୍ରଶ୍ନ: ଚାକିରି ଛାଡି ଯେତେବେଳେ ସମାଜସେବାରେ ମନଦେଲେ, ଆପଣଙ୍କ ପରିବାର ସମର୍ଥନ କରିଥିଲେ ?
ଉତ୍ତର: ଯେତେବେଳେ ସମାଜସେବାକୁ ଆସିବାକୁ ମନସ୍ଥ କରିଥିଲି ସେତେବେଳେ ପରିବାର ଲୋକ ବିରୋଧ କରୁଥିଲେ । ମୋର ବାହା ନହେବା ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଥିଲେ । ଅନାଥାଶ୍ରମ କରିବାକୁ ମଧ୍ୟ ଘରେ ରାଜି ହୋଇନଥିଲେ । ହେଲେ ଲୋକଙ୍କ ସେବା କରିବାକୁ ମୁଁ ମନସ୍ଥ କରିସାରିଥିଲି । ଯାହାର କେହି ନାହଁ ତାହାର ମୁଁ ଅଛି ଭାବି ଏ ରାସ୍ତା ଆପଣାଇଥିଲି । ଅନେକ ସଂଘର୍ଷ ଭିତରେ ପରବର୍ତ୍ତୀ ସମୟରେ ମୁଁ ସଫଳ ହୋଇଛି ।
ପ୍ରଶ୍ନ: ଏତେ ପିଲାଙ୍କୁ ରଖି ସେମାନଙ୍କର ଭବିଷ୍ୟତ ଗଢୁଛନ୍ତି ? ଆର୍ଥିକ ସ୍ଥିତି କେବେ ବାଧା ଦେଇନି ?
ଉତ୍ତର: ଅନୁଷ୍ଠାନ ଆରମ୍ଭ କରିବା ସମୟରେ ମାଗିଯାଚି ଚଳିବାକୁ ପଡ଼ୁଥିଲା । ପିଲାଙ୍କ ପାଇଁ ଖାଦ୍ୟ ଓ ଖଡ଼ି ସ୍ଲେଟ ମଧ୍ୟ ମାଗିକି ଆଣିବାକୁ ପଡ଼ୁଥିଲା । ପରେ ଜିଲ୍ଲାପାଳ ଅନେକ ସହାୟତା ଯୋଗାଇଥିଲେ । ଅନେକ ସହୃଦୟ ବ୍ୟକ୍ତି ସହାୟତାର ହାତ ବଢାଉଛନ୍ତି । ପିଲାଙ୍କୁ ବିଭିନ୍ନ ସମୟରେ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରୁଛନ୍ତି । ମୁଁ ନିଜେ ଓକିଲାତି କରି ରୋଜଗାର କରୁଥିବା ଅର୍ଥକୁ ଏଥିରେ ବିନିଯୋଗ କରୁଛି ।
ପ୍ରଶ୍ନ: ସମାଜସେବାରୁ ରାଜନୀତିର ଯାତ୍ରା କେମିତି ଥିଲା ?
ଉତ୍ତର: ରାଜନୀତି ହେଉଛି ସେବା କରିବାର ଏକ ମାଧ୍ୟମ । ରାଜନୀତି ମାଧ୍ୟମରେ ଲୋକଙ୍କର ଅଧିକ ନିକଟତର ହେବା ସହଜ ହୁଏ । ମୁଁ ଆରମ୍ଭରୁ ସମାଜସେବାରେ ରହିଛି । ଲୋକଙ୍କ ଭଲପାଇବା ହିଁ ମୋତେ ରାଜନୀତିକୁ ଆସିବାକୁ ବାଧ୍ୟ କରିଥିଲା । ଜନତାଙ୍କର ଇଚ୍ଛା ଓ ମୋ ଠାରୁ ରହିଥିବା ଆଶାକୁ ମୁଁ ପୂରଣ କରିବାକୁ ଚେଷ୍ଟା କରିବି ।
ପ୍ରଶ୍ନ: ଆଗକୁ ବିଧାୟକ ଟିକେଟ ରେସରେ ବି ଆପଣ ଅଛନ୍ତି ?
ଉତ୍ତର: ହଁ, ମୁଁ ବିଜେଡିରୁ ଟିକେଟ୍ ରେସରେ ଅଛି । ବିଧାୟକ ଭାବେ ନିର୍ବାଚିତ ହୋଇ ଲୋକଙ୍କର ସେବା କରିବାକୁ ଇଚ୍ଛା ରହିଛି ।
ପ୍ରଶ୍ନ: ପ୍ରଭାସିନୀ ୨୦୨୪ରେ ବିଧାୟକ ଭାବେ ନିର୍ବାଚନ ଲଢୁଛନ୍ତି ?
ଉତ୍ତର: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କୁ ଗୁରୁତ୍ବ ଦେଉଛନ୍ତି । ଅଧିକ ସ୍ଥାନରେ ମହିଳା ପ୍ରାର୍ଥୀ ଦେଉଛନ୍ତି । ମୁଁ ଦଳର ଜଣେ ଶୃଙ୍ଖଳିତ କର୍ମୀ । ମାନ୍ୟବର ମୁଖ୍ୟମନ୍ତ୍ରୀ ଯଦି ଟିକେଟ ଦେବେ ତେବେ ମୁଁ ନିର୍ବାଚନ ଲଢିବି ।
ପ୍ରଶ୍ନ: ନୟାଗଡ଼ରେ ଏବେ ରାଣୀ ମାହୋଲ ତିଆରି ହୋଇଛି। ବିଜେଡି ୨୦୨୪ରେ ସାମ୍ନା କରିପାରିବ ତ ?
ଉତ୍ତର: ନୟାଗଡ଼ରେ ଏବେ ଶୁଣା କଥା ସବୁଠି ବୁଲୁଛି । ଓଜନ ନଥିବା କଥାରେ ଆମର କିଛି କହିବାର ନାହିଁ । ନୟାଗଡ଼ ଜିଲ୍ଲାର ସବୁ ନିର୍ବାଚନମଣ୍ଡଳୀ ବିଜେଡିର ଗଡ଼ । ଏଠାରେ ଆଉ କାହାକୁ ଜନତା ଭରସାକୁ ନେବେନି । ଜନତା କେବଳ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଲପାଆନ୍ତି ।

ପ୍ରଶ୍ନ: ଆଗକୁ ପ୍ରଭାସିନୀଙ୍କ ଲକ୍ଷ୍ୟ କଣ ?
ଉତ୍ତର: ଯେଉଁଠି ଥିଲେ ବି ପିଲାମାନେ ମୋର ଜୀବନ । ସେମାନଙ୍କ ସେବା ମୋର ପ୍ରାଥମିକତା । ରାଜନୀତି କ୍ଷେତ୍ରରେ ମୁଁ ଆଗକୁ ବଢିଲେ ନୟାଗଡ଼ର ବିକାଶ ପାଇଁ ଚିନ୍ତା କରିଛି । ଚାଷୀ, ୟୁବପିଢି, ମହିଳାଙ୍କ ବିକାଶକୁ ପ୍ରାଧାନ୍ୟ ଦେବି । ଅନୁନ୍ନତ ଅଞ୍ଚଳର ବିକାଶ କରିବାକୁ ମୁଁ ସଂକଳ୍ପବଦ୍ଧ ।